or_ta/translate/figs-metonymy/01.md

8.9 KiB
Raw Permalink Blame History

ବିବରଣ

ଲାକ୍ଷଣିକ ଶବ୍ଦ ଏକ ଅଳଙ୍କାରିକ ଶବ୍ଦ ଅଟେ, ଯହିଁରେ କୌଣସି ବିଷୟ ବା ବିଚାରଧାରା ଏଥିର ନିଜ ନାମ ଦ୍ଵାରା ନୁହେଁ, ବରଂ ଏଥି ସହ ଅତି ଘନିଷ୍ଠ ଭାବେ ଥିବା କିଛି ବିଷୟର ନାମ ଦ୍ଵାରା ସମ୍ବୋଧିତ ହୋଇଥାଏ। ଲାକ୍ଷଣିକ ଶବ୍ଦ ଏକ ଶବ୍ଦ ବା ବାକ୍ୟାଂଶ ଅଟେ ଯାହାକି ଏହା ସହିତ ଘନିଷ୍ଠ ଥିବା ବିଷୟ ନିମନ୍ତେ ଏକ ପ୍ରତିବଦଳ ରୂପେ ବ୍ୟବହାର କରାଯାଇଥାଏ।

… ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ। (1ମ ଯୋହନ 1:7 ULT)

ରକ୍ତ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ପ୍ରତିନିଧିତ୍ଵ କରେ।

ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, "ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ।" (ଲୂକ 22:20 ULT)

ପାନପାତ୍ର ପାତ୍ରରେ ଥିବା ଦ୍ରାକ୍ଷାରସକୁ ପ୍ରତିନିଧିତ୍ଵ କରେ।

ଲାକ୍ଷଣିକ ଶବ୍ଦକୁ ଏପରି ବ୍ୟବହାର କରାଯାଇପାରିବ

  • କିଛି ବିଷୟକୁ ସଂକ୍ଷେପରେ ଦର୍ଶାଇବା ନିମନ୍ତେ
  • ଏହା ସହିତ ଘନିଷ୍ଠ ଥିବା ଭୌତିକ ବସ୍ତୁର ନାମ ସହ ଏହାକୁ ଦର୍ଶାଇ ସଂକ୍ଷିପ୍ତ ଧାରଣାକୁ ଅଧିକ ଅର୍ଥପୂର୍ଣ୍ଣ କରିବା ନିମନ୍ତେ

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

ବାଇବଲ ଆଧିକାଂଶ ସମୟରେ ଲାକ୍ଷଣିକ ଶବ୍ଦକୁ ବ୍ୟବହାର କରେ। କେତେକ ଭାଷାର ବକ୍ତାମାନେ ଲାକ୍ଷଣିକ ଶବ୍ଦ ସହ ପରିଚିତ ନୁହଁନ୍ତି ଏବଂ ସେମାନେ ବାଇବଲକୁ ପାଠ କରିବା ସମୟରେ ସେଥିରେ ଥିବା ଲାକ୍ଷଣିକ ଶବ୍ଦକୁ ଚିହ୍ନି ପାରନ୍ତି ନାହିଁ। ଯଦି ସେମାନେ ଲାକ୍ଷଣିକ ଶବ୍ଦକୁ ଜାଣନ୍ତି ନାହିଁ, ତେବେ ସେମାନେ ଶାସ୍ତ୍ରାଂଶକୁ ମଧ୍ୟ ବୁଝିବେ ନାହିଁ କିମ୍ବା ଏହାକୁ ବିକୃତ ଅର୍ଥ କରିବେ, ସେମାନେ ଶାସ୍ତ୍ରାଂଶ ବିଷୟରେ ଭୁଲ ଅର୍ଥ ବୁଝିବେ। ଯେକୌଣସି ସମୟରେ ଲାକ୍ଷଣିକ ଶବ୍ଦ ବ୍ୟବହୃତ, ଏହା କାହାକୁ ପ୍ରତିନିଧିତ୍ଵ କରୁଛି, ତାହା ଲୋକେ ବୁଝିବାରେ ସକ୍ଷମ ହେବା ଆବଶ୍ୟକ।

ବାଇବଲରୁ କେତେକ ଉଦାହରଣ

ପ୍ରଭୁ ଈଶ୍ଵର ତାହାଙ୍କୁ ତାହାର ପିତା ଦାଉଦଙ୍କ ସିଂହାସନ ଦାନ କରିବେ। (ଲୂକ 1:32ULT)

ସିଂହାସନ ରାଜାଙ୍କ କ୍ଷମତାକୁ ପ୍ରତିନିଧିତ୍ଵ କରେ। ସିଂହାସନ ଶବ୍ଦଟି “ରାଜକୀୟ କ୍ଷମତା”, “ରାଜାଙ୍କ ପଦବୀ” ବା “ରାଜତ୍ଵ” ଶବ୍ଦ ନିମନ୍ତେ ଏକ ଲାକ୍ଷଣିକ ଶବ୍ଦ ଅଟେ। ଏହାର ଅର୍ଥ ଯେ ଈଶ୍ଵର ତାହାଙ୍କୁ ରାଜା ଦାଉଦଙ୍କ ବଂଶରୁ ଆଗତ ରାଜା କରିବେ।

ତତକ୍ଷଣାତ୍ ତାଙ୍କ ମୁଖ ଫିଟିଗଲା। (ଲୂକ 1:64 ULT)

ମୁଖ କଥା କହିବାର ଶକ୍ତିକୁ ପ୍ରତିନିଧିତ୍ଵ କରେ। ଏହାର ଅର୍ଥ ଯେ ସେ ପୁନର୍ବାର କଥା କହିବାକୁ ସକ୍ଷମ ହେଲେ।

ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? (ଲୂକ 3:7 ULT)

“କ୍ରୋଧ” ବା “ରାଗ” ଶବ୍ଦ “ଦଣ୍ଡ” ଦେବା ନିମନ୍ତେ ଏକ ଲାକ୍ଷଣିକ ଶବ୍ଦ ଅଟେ। ଈଶ୍ଵର ଲୋକମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧିତ ଥିଲେ, ଏବଂ ଫଳ ସ୍ଵରୂପେ, ସେ ସେମାନଙ୍କୁ ଦଣ୍ଡିତ କରିବେ।

ଅନୁବାଦ କୌଶଳ

ଯଦି ଲୋକମାନେ ଲାକ୍ଷଣିକ ଶବ୍ଦକୁ ସହଜରେ ବୁଝୁଛନ୍ତି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ। ନତୁବା, ଏଠାରେ କେତେକ ବିକଳ୍ପଗୁଡ଼ିକ ଦିଆଯାଇଛି।

(1) ଏହାକୁ ପ୍ରତିନିଧିତ୍ଵ କରୁଥିବା ବିଷୟର ନାମ ସହିତ ଲାକ୍ଷଣିକ ଶବ୍ଦକୁ ବ୍ୟବହାର କରନ୍ତୁ। (2) ଲାକ୍ଷଣିକ ଶବ୍ଦ ପ୍ରତିନିଧିତ୍ଵ କରୁଥିବା ବିଷୟର ନାମକୁ ହିଁ କେବଳ ବ୍ୟବହାର କରନ୍ତୁ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ଏହାକୁ ପ୍ରତିନିଧିତ୍ଵ କରୁଥିବା ନାମ ସହିତ ଲାକ୍ଷଣିକ ଶବ୍ଦକୁ ବ୍ୟବହାର କରନ୍ତୁ।

ଆଉ ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, "ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। (ଲୂକ 22:20 ULT)

“ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, "ଏହି ପାନପାତ୍ରରେ ଥିବା ଦ୍ରାକ୍ଷାରସ ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ।”

ଏହି ପଦଟି ଦ୍ଵିତୀୟ ଲାକ୍ଷଣିକ ମଧ୍ୟ ଧାରଣ କରେ: ପାନପାତ୍ର, (ଏଥିରେ ଥିବା ଦ୍ରାକ୍ଷାରସକୁ ପ୍ରତିନିଧିତ୍ଵ କରେ) ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ ବହିଯାଇଥିବା ରକ୍ତ ସହିତ ହୋଇଥିବା ନୂତନ ଚୁକ୍ତିକୁ ପ୍ରତିପାଦିତ କରେ।

(2) ଲାକ୍ଷଣିକ ଶବ୍ଦ ପ୍ରତିନିଧିତ୍ଵ କରୁଥିବା ବିଷୟର ନାମକୁ ବ୍ୟବହାର କର।

ପ୍ରଭୁ ଈଶ୍ଵର ତାହାଙ୍କୁ ତାହାର ପିତା ଦାଉଦଙ୍କ ରାଜସିଂହାସନ ଦାନ କରିବେ। (ଲୂକ 1:32 ULT)

“ପ୍ରଭୁ ଈଶ୍ଵର ତାହାଙ୍କୁ ତାହାର ପିତା ଦାଉଦଙ୍କ ରାଜକୀୟ କ୍ଷମତା ଦାନ କରିବେ।” କିମ୍ବା: “ପ୍ରଭୁ ଈଶ୍ଵର ତାହାଙ୍କୁ ତାହାର ପିତୃପୁରୁଷମାନଙ୍କ ରାଜା ଦାଉଦଙ୍କ ସଦୃଶ, ତାହାଙ୍କୁ ରାଜା କରିବେ।”

ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? (ଲୂକ 3:7 ULT)

“ଈଶ୍ଵରଙ୍କ ଆଗାମୀ ଦଣ୍ଡରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?"

କେତେକ ସାଧାରଣ ଲାକ୍ଷଣିକ ଶବ୍ଦ ବିଷୟରେ ଆହୁରି ଅଧିକ ଜାଣିବା ନିମନ୍ତେ ବାଇବଲ ଭିତ୍ତିକ ରୂପକ ଶବ୍ଦ ସାଧାରଣ ଲାକ୍ଷଣିକ ଶବ୍ଦଗୁଡ଼ିକ ଦେଖନ୍ତୁ।